Unknown

 

 

 

 

 

 

 

 

 

ନିମଗ୍ନା

ସୁଜାତା ପରିଜା

 

ପ୍ରାଗ୍‍ଭାଷ

 

ଇତିପୂର୍ବରୁ ଶ୍ରୀମତୀ ସୁଜାତା ପରିଜାଙ୍କ ଲିଖିତ ଏହି କବିତା ସଂକଳନଟି ପାଣ୍ଡୁଲିପି ସ୍ତରରେ ରାଜ୍ୟ ଯୁବକଲ୍ୟାଣ ପରିଷଦ ଦ୍ୱାରା ୨୦୦୧ ମସିହା ପାଇଁ ଶ୍ରେଷ୍ଠ ମନୋନୀତ ହୋଇଛି-। ‘ନିମଗ୍ନା’ ଶୀର୍ଷକରେ ଏହା ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ୱାରା ଏବେ ଆତ୍ମପ୍ରକାଶ କରୁଛି । ଏହି ଶିରୋନାମାଟି ଭାବଦ୍ୟୋତକ, ଅପରନ୍ତୁ ନିବିଷ୍ଟ ଭାବାବେଗକୁ ଚିହ୍ନିତ କରେ । କବି ଶାଣିତ ଦୃଷ୍ଟି ତଥା ଦର୍ଶନର କୁହୁକିନୀ ମାୟାପଟଳ ଭିତରେ ନିରେଖୁଛନ୍ତି ତାଙ୍କ ଚଉପାର୍ଶ୍ୱକୁ । ଭୂମି ଓ ଭୂମାର କୂଳ ଲଂଘି ଉଚ୍ଛୁଳିବାର ଆଶଙ୍କାକୁ କୌଣସି ସୃଜନ ଶିଳ୍ପୀ ସାଧାରଣ ଭାବେ ଏଡ଼ାଇ ନ ପାରେ । ସୁଜାତାଙ୍କ କ୍ଷେତ୍ରରେ ତାହା ହିଁ ଘଟୁଛି, ଘଟିବା ସ୍ୱାଭାବିକ ମଧ୍ୟ ।

 

ନିଜକୁ ନିଜେ ଖୋଜି ପାଇବାର ସୁନ୍ଦର ପଥଟି ଆବିଷ୍କାର କରିଛି କବି କଲମ । ଏ ଅନ୍ୱେଷଣର ମାଦକତାକୁ ବେଶ୍ ଅନୁଭବ କରିହୁଏ କବିତା ‘ଖୁଆଦଣ୍ଡ’ର ଶେଷ ପଂକ୍ତିରୁ । ‘ଅସହାୟ ଆଖିରେ ଆଖିରେ’ ଶୀର୍ଷକ କବିତାର କେଇଧାଡ଼ି ନିଜର ଅସହାୟତାକୁ ‘ଯେତେବେଳେ ଚାପି ହୋଇ ଯାଉଥିବି ମୁଁ କଂକି ପରି, କବାଟ ଫାଙ୍କରେ’ ଭଳି ଉପମା ମାଧ୍ୟମରେ ଚିହ୍ନିତ କରିହୁଏ-

 

ସୁଜାତାଙ୍କ କାବ୍ୟ–ତରୁ ଏଇମାତ୍ର ଫୁଲ ଧରିବା ଆରମ୍ଭ କରିଛି । ଫଳ ଭାରରେ ନଇଁବାଯାକେ ତାକୁ କେବଳ ଅପେକ୍ଷା କରିବାକୁ ପଡ଼ିବ । ଏ ଧୈର୍ଯ୍ୟର ସହାବସ୍ଥାନ ହିଁ ସାଧନାର ପଥକୁ ନିର୍ଣ୍ଣୟ କରିବ ଆଗାମୀ ଦିନମାନଙ୍କରେ ।

 

ପାଠକ ପାଠିକାମାନେ ସମସ୍ତ ଆଗ୍ରହ ଦେଇ ଏଇ କବିତା ଗ୍ରନ୍ଥଟିକୁ ଆଦରି ନେଲେ ଆମରି ଶ୍ରମ ସାର୍ଥକ ହେଲା ବୋଲି ବୁଝିବାକୁ ହେବ ।

 

ଅଶ୍ୱିନୀ କୁମାର ମିଶ୍ର

ସଂପାଦକ, ଓଡ଼ିଶା ସାହିତ୍ୟ ଏକାଡେମୀ

Image

 

ବିଷୟ ସୂଚୀ

 

୧.

ନୀରବ ମୁହୂର୍ତ୍ତ

୨.

ଗୋଟିଏ ଖରା ଚାହେଁ

୩.

ଖୁଆଦଣ୍ଡ

୪.

ନାରୀଟିଏ–ନଈଟିଏ

୫.

ଅସହାୟ ଆଖିରେ ଆଖିରେ

୬.

ନିତ୍ୟରାସ

୭.

ନିମଗ୍ନା

୮.

ଅରାଏ ପାଣିରେ ଆକାଶ

୯.

ଥୁଣ୍ଟାଗଛ

୧୦.

ଶ୍ରାବଣ ସକାଳ

୧୧.

ତୁମରି ଉପସ୍ଥିତି

୧୨.

କବିତା ଲେଖିବା କ’ଣ

୧୩.

ଏ କାହାର ପାଦଶବ୍ଦ

୧୪.

ଅଥଚ ସେମାନେ କହନ୍ତି

୧୫.

ଏକା ଏକା

୧୬.

ପାଚେରୀ

୧୭.

ଚୁଲିମୁଣ୍ଡ

୧୮.

ଥାଉ ଆଉ ଗାଆନି କୋଇଲି

୧୯.

ତୁମ ପାଇଁ ମଧୁବନେ ନିଆଁ

୨୦.

ସେ ରାତି

Image

 

ନୀରବ ମୁହୂର୍ତ୍ତ

 

ଆକାଶରେ ଭସାବାଦଲ,

ସ୍ୱପ୍ନସବୁ ଖେଳୁଛନ୍ତି

ନୀରବରେ ।

 

ଏ ମୁହୂର୍ତ୍ତରେ ତମେ ଆସନା

ହେ ବ୍ୟର୍ଥ ଚିନ୍ତାମୋର,

ସାରସ୍ୱତ ସୌନ୍ଦର୍ଯ୍ୟର

ଶେଷମୁଠାକ ଶବ୍ଦ,

ବୁଣିବାକୁ ଯାଉଛି ମୁଁ

କାଗଜ କିଆରିରେ ।

 

ମୋ ଭିତରେ ଏବେ ଏକ

ଭାବମୟ ପୃଥିବୀ,

ମୋ ଆଗରେ ଏବେ ଏକ

ଆବେଗମୟ ଆକାଶ,

ସବୁ ଯେମିତି ଶବ୍ଦମୟ,

ସବୁଜମୟ ।

 

ଏଇନେ ମୁଁ ଏପରି ଏକ

ଅବସ୍ଥାରେ ଅଛି ଯେ,

ଶତ୍ରୁ ଆସିଲେ

ଭଲପାଇପାରିବି,

ପ୍ରେମମୟ କରିପାରିବି

ନିଃସ୍ୱ ଲୋକର ସମୟକୁ ।

 

ହେଲେ ତମେ ଆସନା,

ତମେ ଆସୁ ଆସୁ

ଚହଲିଯିବି ମୁଁ,

ଆଉ କ’ଣ ଏ କ୍ଷଣକର

ଭାବନା ପାଇପାରିବି

ନା ଶବ୍ଦରେ ରଖିପାରିବି ।

 

କ୍ଷଣେ ତ ମୋଠୁ ଦୂରେ

ଠିଆ ହୁଅ,

କାହିଁ ମାୟାକରି ନେଇଯାଅ

ଅଜ୍ଞାତ ସାମ୍ରାଜ୍ୟକୁ,

ଫେରୁ ଫେରୁ ବୁଡ଼ିଯାଏ ସଞ୍ଜ,

ହଜିଯାଏ ମୋର ସ୍ଥିରପଣତକ ।

 

ଅନ୍ଧାର ମୋର ଭାଗ୍ୟ ନା

ତୁମ ତୂଣୀର ସବୁଠୁ ତୀକ୍ଷ୍‍ଣ ଶର,

ଯାହା ମତେ ବିଦ୍ଧକରେ,

ଠିକ୍‌ ନୀରବ ହେଲାବେଳେ,

କବିତା ଲେଖିଲାବେଳେ ।

Image

 

ଗୋଟିଏ ଖରା ଚାହେଁ

 

ଗୋଟିଏ ଖରା ଚାହେଁ,

ମତେ ନଷ୍ଟ କରିଦେବ,

ନଷ୍ଟ କରିଦେବ ମୋର ଅହଂକାର,

ମୋର ପାଇବାର ଯେତକ ଇଚ୍ଛା,

ମୋର ସୁଖ ସଂପଦର ଯେତକ ସମ୍ଭାବନା,

 

ସେ ଚାହେଁ ଜାଳିପୋଡ଼ି ଦେବ–

ମୋ ମାଂସର ଦେହକୁ,

ମୋ ଭବିଷ୍ୟତକୁ,

ମୁଁ ଭଲପାଉଥିବା ଲୋକଙ୍କୁ,

ମୋ ସଂପର୍କରେ ଆସୁଥିବା

ଗଛ, ପତ୍ର ଓ ୠତୁମାନଙ୍କୁ ।

 

ସେ ଚାହେଁ ହାଡ଼ ମୋର

ଟକ୍‌ ଟକ୍‌ ଫୁଟୁ

ଦୁଃଖର, ଶୋକର ସେଇ ଅଲିଭା ନିଆଁରେ ।

ମୋ ଦେହରୁ ପୋଡ଼ା ପୋଡ଼ା ଗନ୍ଧ ହେଉ

ସୁଗନ୍ଧିତ ପବନ ଯାକୁ ନେଉଛି ଉଡ଼ାଇ ।

ମୁଁ ଏବେ ଜାଣି ସାରିଲିଣି

ଖରା ନୁହେଁ ସେ ଏକ ଦୁଃସହ ସମୟ

ତା ସହିତ ଲଢ଼ିବି ମୁଁ

ବଞ୍ଚିଥିବା ଯାଏ ।

Image

 

ଖୁଆଦଣ୍ଡ

 

ମତେ ମନ୍ଥିଦିଅ

ଖୁଆଦଣ୍ଡ ହୋଇ,

କେବେଠୁ ସେଇ ଅବସ୍ଥାରେ

ସ୍ଥିର ମୁଁ ରହିଛି ।

 

ମୋ ଭିତରେ କିଛି ନାହିଁ

ସମୟ ସମୟ ଧରି ନିଜକୁ ଆଉଟି

ଯାହା ସମଷ୍ଟିକୁ ସଞ୍ଚି ମୁଁ ରଖିଛି ।

 

ସେଇ ଖୁଣ୍ଟଅଛି, ମୋରିଆ ଅଛି,

ଅନ୍ଧାର ଆଲୁଅର

ଝାପ୍‌ସା ଝାପ୍‌ସା ଖେଳ,

କିଛି ନୂଆ ନୁହେଁ,

ମୋର ବିଗତ ସ୍ଥିତି ପୁଣି

ତୁମରି ଆଗମନ,

ନୂଆ ଯାହା ମୃଗତୃଷ୍ଣା ପଛେ

ଧାଇଁ ଧାଇଁ ନିଜ ଭିତରକୁ ଧିରେ ଧିରେ

ଫେରି ଯେ ଆସିବା ।

 

ତମେ ଖାଲି ଦଉଡ଼ିକୁ ଧର, ମୋ

ଆବରଣକୁ ଆଡ଼େଇ କେନ୍ଦ୍ରବିନ୍ଦୁରେ ଥାପିଦିଅ,

ଖୁଆଦଣ୍ଡକୁ ତୁମର, ଖୁଆଦଣ୍ଡ ଘୂରୁଥାଉ,

ମନ୍ଥି ହୋଇଯାଉ, ମୋର ଯେତକ ସଞ୍ଚିତ

ସୂକ୍ଷ୍ମ ସ୍ଥିତିତକ ।

 

ଦେଖିବ ମୁଁ ଆପେ ଆପେ ଫେଣେଇ ଉଠିବି,

କଠିନ ଅବସ୍ଥା,

ପୁଣି ସ୍ତରସ୍ତର ଦେଇ ଆସିଥିବା ଦୁଃଖ,

ତରଳିଯିବେ ସବୁ ତୁମ ସ୍ପର୍ଶ ପାଇ ।

 

ହାତରେ ତୋଳିଧରିବି ଯେବେ,

ନୂଆ ରୂପକୁ ମୋର,

ମୁଁ ଦେଖିଲେ କିବା ଆଉ ଚିହ୍ନି କି ପାରିବି,

ମୋରି ଭିତରେ ଥିଲା ସମୟ ସମୟ ଧରି,

ତମେ ଛୁଇଁଦେଲ ବୋଲି ସିନା,

ଖୋଜି ମୁଁ ପାଇଲି ।

 

ମୁଁ ପୁଣି ନଆଁରେ ବସିବି,

ତରଳିବ ସବୁତକ ମୋହ,

ମୁଁ ପାଇବି ଜୀବନ୍ୟାସ,

ନୂଆ ଏକ ବେଶ,

ସକାଳଠୁ ସଞ୍ଜଯାଏ ଲାଗିଥିବି

ସେବାରେ ତୁମର ।

 

ଅଧରାତିଯାଏ କାଟି କାଟି ଅନ୍ଧାରର ରାସ୍ତା,

ମୁଁ ଅଥୟ ହେଉଥିବି ଫେରିବାକୁ

ତୁମରି ପାଖକୁ ।

 

କେତେକାଳ ଧରି ଖୋଜୁଥିଲି

ତମଯାଏ ପହଞ୍ଚିବାର ସୁନ୍ଦର ପଥଟି,

ମୁଁ କି ଜାଣିଥିଲି ମୋ ଭିତରେ

ଲୁଚିଥିଲା,

ଅନ୍ତରଂଗ ଅନୁଭବେ ମୋର ।

Image

 

ନାରୀଟିଏ–ନଈଟିଏ

 

ନାରୀଟିଏ–ନଈଟିଏ,

ଯୋଉଦିଗେ ବହିଗଲା,

ଚାରା ହେଲା ଗଜା,

ଗଛ ଦେଲା ଫୁଲଫଳ,

ୠତୁମାନେ ହେଲେ ମଧୁମୟ ।

ନାରୀଟିଏ–ନଈଟିଏ,

ଯୋଉ ପଟକୁ ମୁହାଁଇଲା

ଲହଡ଼ି ଭାଙ୍ଗିଲା ପବନ

ସବୁ କ୍ଷେତରେ,

ନଇଁପଡ଼ିଲା ଧାନକେଣ୍ଡାରେ

ଧାନଗଛ, ବାଣ୍ଟିଦେଲା ସବୁଜପଣ

ସୋରିଷ ଫୁଲ ।

ନାରୀଟିଏ–ନଈଟିଏ

ସବୁକିଛି ବୁହାଇ ଆଣିଲା

ମଣିଷର ପାପ,

ସାପଙ୍କର ବିଷ,

ପଶୁଙ୍କର ତୃଷ୍ଣା, ପୁଣି

ପକ୍ଷୀଙ୍କର ଶବ୍ଦ ।

ଧିରେ ଧିରେ ଦବିଗଲା ପାଦ,

ତଳରୁ ତଳକୁ,

ରୁନ୍ଧି ହୋଇଗଲା ନିଃଶ୍ୱାସ

ଭିତରେ ଭିତରେ ।

ନାରୀଟିଏ–ନଈଟିଏ

ଶୁଖିଗଲା ଧିରେ ଧିରେ

ଖୋଜି ଆସୁଥିବା ଲୋକ

ଜାଣିପାରୁ ନଥିଲେ,

ପାଦତଳେ ନଈଟିଏ ବହୁଥିଲା,

ଅନେକ ଦିନଯାଏ,

ନାରୀର ସ୍ୱତନ୍ତ୍ର ଠିକଣା

ନଥାଏ କି ନଈର

ନିଜ ଠିକଣାରେ ଖୋଜ

ନାରୀକୁ, ନଈକୁ

ନିଜ ଭିତରୁ ଶୁଣିବ

ସେଇ ଏକା ପରିଚିତ ସ୍ୱର

ନାରୀର.................

ନଈର.................।

Image

 

ଅସହାୟ ଆଖିରେ ଆଖିରେ

 

ତୁମେ କୃଷ୍ଣ,

ମୁଁ କୃଷ୍ଣା,

ମୋର ପ୍ରଥମ ପ୍ରେମିକ ପୁଣି

ଯାବତୀୟ ଯନ୍ତ୍ରଣା

ମୋର ଶେଷ ପ୍ରେମିକ ପୁଣି

ଯେତକ ମୃତ୍ୟୁ ।

ସେ କେଉଁ ମୁହୂର୍ତ୍ତ ଥିଲା, ତୁମକୁ ଭଲପାଇ

ବସିଲି ମୁଁ, ତୁମେ ସମର୍ପି ଦେଲ

ଆଉ କାହାହାତେ, ତାପରେ ମୁଁ

ପାଞ୍ଚଭାଗ ହେଲି,

ତଥାପି ସବୁବେଳେ ତୁମ ପାଇଁ

ଭର୍ତ୍ତିହେଲା ଆଖିରେ ଆଖିଏ ଲୁହ,

ତୁମପାଇଁ ମୁଁ ପଢ଼ିଲି ଚାତକର ମନକଥାସବୁ ।

ମନେପଡ଼ୁଥିଲ ତୁମେ ଯେବେ ନିଛାଟିଆ

ଖରାବେଳେ, ଦୁର୍ବଳତା ସବୁ ଧାଇଁ

ମରୁଭୂମି ସାରା, ଫେରି ପୁଣି ଆସୁଥିଲେ

ମରୀଚିକା ପରି ।

ତୁମେ ତ ଠିଆ ହୋଇଥିଲ

ମୋ ଇଚ୍ଛାର ସୀମାରେଖାଠୁ ଦୂରରେ ।

ଦେଖାହେଲେ ଦୁଃଖ ହେଲ

ନଦେଖିଲେ ଯନ୍ତ୍ରଣା,

ଚାହିଁଲି ଯେବେ ପାଇପାରିଲିନି

ନ ଚାହିଁଲେ ପାଇଲି ତୁମକୁ ।

ତୁମେ କୃଷ୍ଣ,

ମୁଁ କୃଷ୍ଣା,

ମୃତ୍ୟୁ ଆଗରୁ ଭେଟିବି ଥରେ,

ତୁମେ ହସିବ ସେଇ ପ୍ରଥମ ଦେଖାର ହସ

ଯେତେବେଳେ ଚାପି ହୋଇଯାଉଥିବି ମୁଁ

କଙ୍କି ପରି,

କବାଟ ଫାଙ୍କରେ ।

Image

 

ନିତ୍ୟରାସ

 

ଯେବେ ଯେବେ ମୋହାଚ୍ଛନ୍ନ କରିଛ ମତେ

କବିତା ଲେଖିଛ,

ଭାସିଯାଇଛି ଶୂନ୍ୟ ଏକ ନୀରବ ପ୍ରାନ୍ତକୁ

ସମୟର ବଂଶୀସ୍ୱନେ ଜୀବନର

ନୂପୁର ଶୁଣିଛି ।

ତୁମର ଏ ସମ୍ମୋହନ ଏମିତି ଯେ,

ମୋର ସତ୍ତା କୋଉଠି ନଥାଏ,

ହିରଣ୍ମୟୀ ସକାଳଠୁ,

ରାତିର ଶେଷତମ ଅନ୍ଧାରଯାଏ

ଯାହାକିଛି ଭୁଲୁଥାଏ, ମନେରହୁଥାଏ

ସବୁ କେବଳ କ୍ଷଣିକର ମାୟା ହିଁ ତ ଥାଏ ।

ତୁମ ସାର୍ଥକତା ନେଇ,

ମୁଁ ଆଜି ଯେତିକି ଲେଖୁଛି, କାଟୁଛି,

କେବଳ ତୁମେ ଆବୋରି ବସିଛ ବୋଲି,

ଝଡ଼ାପତ୍ରର ଶବ୍ଦରେ ବି

ନୂଆପତ୍ର କଅଁଳିବାର ଦୃଶ୍ୟ ମୁଁ ଦେଖୁଛି ।

ମୋ ଆତ୍ମାର କୁଞ୍ଜବନେ,

ନିର୍ଜନରେ ରାସ ଚାଲିଛି,

ଭାଷାମାନେ ନୈବେଦ୍ୟ ବାଢ଼ୁଛନ୍ତି,

ଶବ୍ଦମାନେ ନିର୍ବାଣ ଖୋଜନ୍ତି,

ଏ ଯୋଉ ମୁହୂର୍ତ୍ତ ମୋ ଆଗରେ

ଧଳା କାଗଜ ଖୋଇଛି,

ମଣିଷ ପାଇଁ ସବୁଠୁ ଜରୁରୀ ଯାହା,

ସେଇ ମଣିଷପଣିଆକୁ

ସବୁବେଳେ ଖୋଜି ମୁଁ

ଚାଲିଛି ।

Image

 

ନିମଗ୍ନା

 

ନିଜ ଭିତରେ ନିମଗ୍ନ ସେ

ସବୁବେଳେ,

ତାକୁ ପଚାର ଫୁଲକେତେ

ଫୁଟିଛି ବଗିଚାରେ

କେତେ ଢେଉ ଗଣିଛି

ସାଗରରୁ, କେତେ ତାରା

ଖସିଛି ଆକାଶରୁ ।

ସେ କଙ୍କିକୁ ଧରି ଉଡ଼େଇବା

କଥା ଜାଣେ,

ପ୍ରଜାପତି ଧରିପାରୁ ନଥିବା

ବିଫଳତାରେ କାନ୍ଦେ,

କାକର ଟୋପାର ମିଳେଇଯିବା

ଦେଖି ଉଦାସ ହୁଏ ।

ଯେବେ ଦେଖ

ଖେଳୁଥିବ ସଢ଼େଇରେ,

ଭିଜୁଥିବ ବର୍ଷାରେ

ଧାଇଁଥିବ ସାଧବବୋହୂ

ପଛେ ପଛେ,

ଗଢ଼ୁଥିବ କୁନି କୁନି

ବାଲିଘର ।

ମୁହଁକୁ ଦେଖିଲେ ତା

ଲାଗେ ଚଳଚଞ୍ଚଳ ନଈଟିଏ

ହାତ ପାଦ ସ୍ଥିର କେବେ ତ

ନଥାଏ ।

ଭାବନାରେ ବୁଡ଼ିଗଲେ

ଲାଗେ ଆତ୍ମସନ୍ତୋଷ

ଆତଯାତ ହୁଏ ଆଖିରେ ତା’ର ।

ଯେବେ ହସେ

ସତେଜ ଫୁଲପରି

ଆତ୍ମ ପ୍ରତ୍ୟୟର ହସ,

ମତେ ଲାଗେ ମୋ ରୁଦ୍ଧ ହସର

ପ୍ରତିଯୋଗୀ ସିଏ,

ସମୟ ଥିଲା ଯେମିତି ମୋ

ଦେହ ସଂଗେ ମିଶିଥିଲା,

ଯାହାକୁ କାଟି ମୁଁ ଲୁଚାଇଥିଲି

ଏଇଠି କୋଉଠି

ଯେ ଆଜି ଚାଲୁଛି

ମୋ ଅଙ୍କାବଙ୍କା ଶୈଶବର ପାଦଚିହ୍ନେ

ପାଦ ଦେଇ ।

ସତେ ଯେମିତି ଜୀବନ ଫୁଟିଛି

ମୋ ଆଗରେ ଫୁଲ ହୋଇ,

ପବନ ପରି ସମୟ

ଧାଉଁଛି କେବଳ ।

Image

 

ଅରାଏ ପାଣିରେ ଆକାଶ

 

ରାସ୍ତା ଉପରେ ଜମିଥାଏ ପାଣି,

ପାଣିରେ ଖେଳୁଥାଏ ଦୃଶ୍ୟ

ଆକାଶର ।

ପାଣିର ସୀମାବଦ୍ଧ ଇଲାକାରେ

ଛୋଟିଆ ଆକାଶଟିଏ,

ଜମିଥାଏ ମେଘର ଖଣ୍ଡସବୁ ।

ସେଇଠୁ ଦିଶେ

ପକ୍ଷୀଙ୍କର ଉଡ଼ିବାର ଛବି,

ପତ୍ରର ଦୋହଲିବାର ଦୃଶ୍ୟ,

ବାହୁଙ୍ଗା ଦୋଳିରେ ଝୁଲୁଥିବା

ସୂର୍ଯ୍ୟଙ୍କ କିରଣ ।

କୋଉ ଅଗରେ କଅଁଳୁଥିବା

କୁନି କୁନି ପତ୍ର, କେଉଁ ଗଛରେ

ଲଟକିଥିବା କିଛି ଚିରାଗୁଡ଼ି,

ଚଢ଼େଇର ଅଲରା ବସା କିଛି ।

ଅରାଏ ପାଣିରେ ସବୁକିଛି

ଘଟିଚାଲିଥାଏ ନୀରବରେ,

ନିରେଖି ଦେଖିଲେ ଲାଗେ

ଅରାଏ ପାଣି ନା ସିଏ

ଅରାଏ ଆକାଶ ।

କେବଳ ଗୋଟିଏ ବିନ୍ଦୁରେ

ସ୍ଥିର କଲେ ସମଗ୍ର ସତ୍ତାକୁ

ମିଳିଯାଏ କେତେ ଦୃଶ୍ୟ

ଦୂରେ ଦୂରେ ଘଟେ ଯାଏ

ଅହରହ ପୁଣି ଅବିରତ ।

ହେଇ ଦେଖ,

ଆରୋହୀ ଜଣକ ପଶିଗଲା

ପାଣିରେ,

ଛିଟିକି ପଡ଼ିଲା ସବୁ ଭାବ

ସବୁ ଦୃଶ୍ୟ

ପାଖ ଆଖ, ଅନେକ ଦୂର ଯାଏ,

ବିନ୍ଦୁ ବିନ୍ଦୁରେ ଲୁଚିଥିଲା

ଆକାଶର ଅନୁପମ ଉତ୍ସୁକତା

ଚହଲିଗଲି ମୁଁ,

ଚହଲିଗଲା ପାଣି,

ଏମିତି କି ମନ ଭାଙ୍ଗନ୍ତି କବିର

ଧ୍ୟାନସ୍ଥ ଥିବାବେଳେ

ଗୋଟିଏ ଦୃଶ୍ୟରେ ।

Image

 

ଥୁଣ୍ଟାଗଛ

 

ଝଡ଼ିଯାଇଥାଏ ସବୁତକ

ସବୁଜପତ୍ର,

ଶୁଖିଲା ପତ୍ରତକ

ଓଳେଇ ନେଇଥାଏ ପବନ ।

 

ଚେରରେ ନଥାଏ ଆଉ

ଧରିରଖିବାର ଶକ୍ତି,

ମାଟିସହିତ ସଂପର୍କ କମିଯାଇଥାଏ

ଗଛର ।

 

ଶାଖା ପ୍ରଶାଖାକୁ ଭିତରୁ ଭିତରୁ

ନଷ୍ଟକରି ଆସୁଥାଏ ସମୟ

ଶୁଖିଲା ଡାଳକୁ ବୋହି ବୋହି

ବିତୁଥାଏ ଜୀବନ ।

 

ଏବେ ଆଉ କୋଳାହଳ ନାହିଁ,

ଏବେ ବସେନା ପକ୍ଷୀଙ୍କର

ଆସର,

ଏବେ ଶୁଭେନା ଚିଁ ଚିଁ ସ୍ୱରର

ଗୁଞ୍ଜରଣ,

କୋରଡ଼ରେ ସଞ୍ଚିଥିବା କଅଁଳ

ସ୍ପର୍ଶତକ

ନିଜ ସହିତ ନେଇଯାଇଛି ପକ୍ଷୀ ।

 

ଏବେ ଆଉ ନାହିଁ

ୠତୁଙ୍କର ଆସିବା ଆଗର

ଜଞ୍ଜାଳ,

ବାଟୋଇଙ୍କ ଥକ୍କାମରା ନିଃଶ୍ୱାସ

ବାଜିନି କେବେଠୁ ଦେହରେ ।

 

ଏବେ ଖାଲି ଦେହ ସାରା

ବୁଢ଼ିଆଣୀ ଜାଲ,

ଡାଳରୁ ଡାଳ ଡେଇଁ ପଡ଼ିଲେ

ମାୟାର ନଗର ।

 

ନିଜକୁ ଦେଖି ବେଳେବେଳେ

ଚିହ୍ନି ବି ପାରେନା,

ଏ ତା’ର ଶରୀର ନା ଛାଇ

ବର୍ଷ ବର୍ଷ ଧରି ଚାଲୁଥିଲା ଏଇ

ତା ପଛରେ ।

 

ଆଉସବୁ ଯାହା ଥିଲା

ଖାଲି ଏକ ମାୟା,

ଏକ ଆବରଣ

ସେ କି ଏକ ଭ୍ରମ ଥିଲା ସବୁଜ ରଂଗର

ବାନ୍ଧି ରଖିଥିଲା ଯାହା ଏତେଦିନ ଧରି ।

 

ଏବେ ଖାଲି ଊର୍ଦ୍ଧ୍ୱକୁ

ଦୃଷ୍ଟି ତା’ର, ସେ ଜାଣେ

ଯେତେବେଗି ମାଟିରେ ମିଶିବ

ବାଟଖୋଳିବ ସେତେ ଶୀଘ୍ର ଆକାଶର ।

 

ପରିପୂର୍ଣ୍ଣ ଜୀବନ ଓ ଥୁଣ୍ଟାପଣ କିଛି

ନେଇ, ଏମିତି ବଞ୍ଚନ୍ତି ଏଠି ମଣିଷ ଓ ଗଛ ।

Image

 

ଶ୍ରାବଣ ସକାଳ

 

ଧୂଆଁ ମିଶେ ଆକାଶରେ

ଦେହ ମିଶେ ପାଣିର

ସୁଅରେ ।

ଥରିଲା ପାପୁଲିରେ ପହଁରୁଥିବା

ସୂର୍ଯ୍ୟ,

ଆକାଶର ଶେଯ ଛାଡ଼ି ଯାଉଥିବା

ତାରାମାନେ,

ପର ଝାଡ଼ିଦେଲେ ଝରିପଡ଼ୁଥିବା

ବିନ୍ଦୁ ବିନ୍ଦୁ ଅଳସପଣ ପକ୍ଷୀର,

ମନ୍ଦିରରୁ ଭାସିଆସୁଥିବା

ଘଣ୍ଟଧ୍ୱନି,

ସ୍ତୋତ୍ରର ଅବୁଝା ଭାବ,

ଆତ୍ମାରେ ମିଶିଯାଉଥିବା

ଧୂପର ମିଠା ବାସ୍ନା,

କ’ଣ ନାହିଁ କୁହ

ଶ୍ରାବଣ ସକାଳେ ।

ନଈକୂଳ ସାରା ବର୍ଷାବିନ୍ଦୁ ଭିଡ଼,

ପତ୍ର ଦେହରେ ଠୋପାଏ ତ

ଫୁଲ ପାଖୁଡ଼ାରେ ଠୋପାଏ

ଠୋପାଏ ବି ଖେଳୁଥାଏ

ନୀରବରେ ସବୁଜ ଘାସରେ ।

ଠୋପାଏ ପଡ଼ିଗଲେ ଅଦୃଶ୍ୟ

ହୁଏ ସବୁ ଦୃଶ୍ୟ

ଥରି ଥରି ଯାଉଥିବା ବୃଦ୍ଧଟିର

ଚଷମା କାଚରେ ।

ନିଦକୁ ବସ୍ତାନିରେ ଧରି ଚାଲୁଥିବା

ପିଲା,

କଂସେଇ ଛୁରୀକୁ ଚାହିଁଥିବା

ଛେଳିଛୁଆ,

ଘାଟରେ ଲାଗିଥିବା ଡଙ୍ଗା,

ସୁଖ ଦୁଃଖ ନେଇ ବସୁଥିବା ଯାତ୍ରୀ,

ସବୁଅଛି ଶ୍ରାବଣ ସକାଳେ,

ହସ, ଲୁହ, ଖୋଜିବା, ପାଇବା,

ଯିଏ ଯାହା ଖୋଜିପାର

ଇଚ୍ଛା ମୁତାବକ ।

Image

 

ତୁମରି ଉପସ୍ଥିତି

 

ତୁମରି ଉପସ୍ଥିତି ସବୁବେଳେ

ଅନୁଭବରେ, ଚେତନାରେ

ତୁମଛଡ଼ା କେହି ନାହିଁ

ଯାହା ସହିତ ବଞ୍ଚିହୁଏ

ବିନା ବାକ୍ୟ ବିନିମୟେ ।

 

ମୋ ବେଦନାର ସକାଳମାନଙ୍କରେ

ଖୋଜା ହୁଅ ତୁମେ,

ଦୀପଜଳେ ତୁମ ପାଇଁ

ସଞ୍ଜହୁଏ,

ଉଦାସୀ ଆକାଶେ ତୁମେ

ଦିଶ ଜହ୍ନ ଭଳି,

ଯାହାର ଟିକିଏ ଆଲୁଅରେ

ଫିଟିପଡ଼େ କେତେ ରାସ୍ତା,

ଅନ୍ଧାର ଭିତରୁ ।

 

ଏ ମୋର ଏମିତି ଭଲପାଇବା ଯେ

କିଛିବୋଲି କିଛି ଚାହେଁ ନାହିଁ,

ଅନେକ ଅପ୍ରାପ୍ତି ଥାଉ,

ତୁମେ ଥାଅ,

କିଛି ଶୂନ୍ୟତା ଥାଉ,

ମୁଁ ଥାଏ,

ଭିତରେ ଯନ୍ତ୍ରଣା ବଢ଼ୁଥାଉ

ଏଇମିତି ଚିରକାଳ,

କିଏ କହୁଥାଏ ମତେ ରହି ରହି

ବାରମ୍ବାର,

ଏଇଠି କୋଉଠି ଅତି ନିକଟେ

ତୋର ମୁକ୍ତିର ସକାଳ ।

Image

 

କବିତା ଲେଖିବା କ’ଣ

 

କବିତା ଲେଖିବା କ’ଣ

ବଢ଼ିବଢ଼ି ଯାଉଥିବା ମଣିଷ ପ୍ରତି ମୋହ,

କବିତା ଲେଖିବା କ’ଣ

କମିକମି ଯାଉଥିବା ନିଜ ପ୍ରତି ମାୟା ।

 

ଏ ମୋହ କେମିତିକା ଦେଖ

ଏଇନେ ଦେଖୁଥିବା ମଣିଷକୁ

ଖୋଜିହେବା,

ଏ ମାୟା କେମିତିକା ଦେଖ,

ଶବ୍ଦଙ୍କର ଦେହ ମୁଣ୍ଡେ

କାକରର ଚିତା କୁଟାଇବା ।

 

ଯେତେ ଯେତେ ଚେଷ୍ଟା କଲି

ଶବ୍ଦମାନଙ୍କ ଭିତରୁ ମୁକୁଳିଆସିବି,

ନିଃଶବ୍ଦ ହୋଇ ଯାଉଥିବା

ସମୟ ଭିତରୁ ପାଦକାଢ଼ି

ଆଉ କେଉଁ ଆଡ଼େ ପଳାଇବି,

 

ତଥାପି କିଏ ମତେ ବାନ୍ଧିରଖି ଦେଲା

ନୀରବତାମାନଙ୍କୁ ମୋ ସ୍ୱତନ୍ତ୍ର ସୌନ୍ଦର୍ଯ୍ୟରେ

ପ୍ରତିଥର ନୂଆ ବେଶକରି

ପଠାଇଲା ।

 

ନିର୍ବିକାର କରୁଥିଲା

କିଏ ମତେ,

କାହାର ଆକର୍ଷଣ ଭିଡ଼ି

ଧରୁଥିଲା,

ମୁଁ ଜାଣିନଥିବା ଅଜସ୍ର ଲୋକଙ୍କର

ଦୁଃଖସୁଖ ସବୁ କିଏ

ବାଛି ରଖୁଥିଲା ।

 

ଯିଏ ରହୁଥିଲା ଗାଢ଼ତମ ଅନ୍ଧାର

ଭିତରେ, ନିଜର ସ୍ଥିତି ହଜେଇ ଯା ଭିତରେ

ମିଶିଯାଉଥିଲି ମୁହିଁ,

ସେ ଲେଖୁଥିଲା କବିତା, ଶବ୍ଦ ଖଞ୍ଜି

ଖଞ୍ଜି; ସକାଳୁ ମୋ ପାଖେ ମତେ

ଛାଡ଼ିଯାଉଥିଲା ।

 

କବିତା ଲେଖିବା ଏକ

କୁହୁକ ଖେଳଥିଲା,

ସମଗ୍ର ନୀରବତାକୁ ମୋର ନିର୍ବିକାର କରି

ରାତିମାନଙ୍କୁ ବାଙ୍ମୟ କରିଯାଉଥିଲା ।

Image

 

ଏ କାହାର ପାଦଶବ୍ଦ

 

ଏ କାହାର ପାଦଶବ୍ଦ ପଶିଆସେ

ମୋ ଚେତନାର ଇଲାକା ଭିତରକୁ,

ଶୂନ୍ୟର କେଉଁ ପ୍ରାନ୍ତରୁ ଭାସିଆସେ

ପୁଣି,

ଶୂନ୍ୟର କେଉଁ ପ୍ରାନ୍ତଯାଏ ଭାସିଯାଏ

ଦେହ ଭିତରୁ କେତେ କ’ଣ ଅଲଗାହୋଇ,

ଅଦୃଶ୍ୟ ହୋଇଯାଆନ୍ତି କେଉଁଆଡ଼େ,

ଦେହ ଭିତରେ କିଛିଗୋଟେ ଆସି ମିଶିଯାଏ,

ସ୍ପର୍ଶରୁ ଜାଣିହୁଏ ଆତ୍ମୀୟ ମୋର,

କଷ୍ଟରୁ ବୁଝିହୁଏ ଚିରଶତ୍ରୁ ଥିଲା,

ଚିହ୍ନିଛି ଯେମିତି ତାକୁ

ନାଁ ମନେନାହିଁ ।

ଚାହିଁଛି ଯାହା ଯେତେବେଳେ

ଛଡ଼ାଇ ନେଇ ରଖିଦେଇଛି କେଜାଣି କେଉଁଠି,

ଖୋଜି ଖୋଜି ଯାଉଛି କାହିଁ କେତେଦୂରଯାଏ

ଅଥଚ ପାଇନି, ଜନ୍ମ ଜନ୍ମ ଧରି ଖୋଜା ତ ସରିନି ।

କିଏ ସେ ? ଯାଇପାରେନା

ଚେତନାର ସ୍ତର ସ୍ତର ଡେଇଁ

ମୋ ଭିତରେ କେଉଁଠି ଅଛି,

ମତେ ବି ଅଜଣା,

ତା ନୀରବସ୍ୱରେ ଯେବେ କହେ

ବାରବାର ମତେ,

ଅନ୍ତରାତ୍ମାର ଦରଜା ଖୋଲ,

ଆଲୋକକୁ ଆସିବାକୁ ଦେ

ଅନେକ ପଥ ଦେଇ,

ମିଶିବାକୁ ଦେ ଦେହରେ ତୋର,

ନିଜକୁ ବିସ୍ତାରିତ କର,

ନିର୍ମଳ କର ସମୟକୁ ।

ମିଶିଛି ବୋଲି ସେ ଆତ୍ମାରେ

ନିଃଶ୍ୱାସେ ନିଆରା ପବନ ବହେ,

ମନ ଏତେ ପୁଲକିତ

ଦେହର ଆବେଗ ବଢ଼େ ।

ମୋ ଭିତରେ ମୁଁ ଆଉ ନାହିଁ,

ଆଉ କାହା ସ୍ଥିତି ଇଏ,

ମତେ ଭସେଇ ନେଇଯାଉଛି

ଶୂନ୍ୟରୁ ମହାଶୂନ୍ୟଯାଏ ।

Image

 

ଅଥଚ ସେମାନେ କହନ୍ତି

 

ସେମାନେ କାହିଁକି କହନ୍ତି,

ନିରାପଦ ସ୍ଥାନନାହିଁ ନାରୀ ପାଇଁ

ଯେତକ କୁତ୍ସିତ କଦର୍ଯ୍ୟ ଭିତରେ

ଆତଯାତ ହେବାକୁ ହେବ

ତମାମ୍‌ ଜୀବନ ।

ନାରୀ ଦିଏ କ’ଣ !

ପାଏ କ’ଣ !

ଦେବାବେଳେ କାନି ଝାଡ଼ିଦିଏ

କୋଶ କୋଶ ଦୂର ଯାଏ

ବିଛେଇ ହୋଇପଡ଼େ

ସ୍ନେହର, ମମତାର, ପ୍ରୀତିର

ଅସଂଖ୍ୟ ଫୁଲସବୁ,

ଅଥଚ ପାଇଲାବେଳେ ଟିକେ

ଲୋଭ ନାହିଁ,

ପାଇଲାପଣକୁ ଟେକିଦିଏ ନେବାକୁ

ତତ୍‌ପର ଥିବା ହାତମାନଙ୍କ ଆଡ଼କୁ ।

ନାରୀ ଗଢ଼େ ଘର !

ନାରୀ ଗଢ଼େ ସ୍ୱର୍ଗ ।

ଚଞ୍ଚୁରେ ବୋହି ବୋହି ସବୁ

ସୁଖ ସନ୍ତୋଷର ଯେତକ

କାଠିକୁଟା,

ସେ ଜାଣେ କାହାର କ’ଣ

ଲୋଡ଼ା

କେଉଁ ସୁବିଧା ବିନା କିଏ ଯେ

ଅଚଳ, କେଉଁ ବିଳାସ ବିନା

କିଏ ସେ ଅସ୍ଥିର ।

 

ଅଥଚ ସେମାନେ କହନ୍ତି

ନାରୀ ପାଇଁ ସ୍ୱର୍ଗ ନାହିଁ,

ତାକୁ ଦେଖାଇ ଦେଇଛୁ ଆମେ,

ସ୍ୱର୍ଗ କହି ନୂଆ ଏକ ନର୍କର

ବାଟ ।

ତଥାପି ସେ ସବୁଥର

ତପସ୍ୟା କରେ

ପାଇବାକୁ

ସ୍ୱାମୀ, ସନ୍ତାନ, ସ୍ୱର୍ଗ

ସବୁଥର ସ୍ୱର୍ଗ ଗଢ଼ୁଗଢ଼ୁ

 

ସେ ଆଦରିନିଏ

ନର୍କର ଯନ୍ତ୍ରଣା ।

Image

 

ଏକା ଏକା

 

ମୁଁ ବୋଲି କିଛି ନାହିଁ,

ମୋର ବୋଲି କେବେ

କିଛି ତ ନଥିଲା,

ମୁଁ ଅଧିକାରୀ ନୁହଁ

କୋଉ ସମୟର,

ମୁଁ ରାଜାନୁହଁ, ପ୍ରଜାନୁହଁ

ଚିରଦିନ ମୁଁ କାଙ୍ଗାଳ

ଭିକ୍ଷାଥାଳି ଧରି ବୁଲୁଥାଏ

ଭାଗ୍ୟର ଦ୍ୱାରମାନଙ୍କରେ ।

କିଛି ତ ନଥିଲା ମୋର,

ସିଂହାସନ, ରାଜପାଟ, ଦରବାର,

କେବେ ବି ହାତରେ ନଥିଲା

ଖଣ୍ଡା କି ବା ତରବାର

ମୁଁ ଯାହା ନାଚୁଥିଲି ମିଛେ ପିନ୍ଧି

ଜରିର ପୋଷାକ,

କୋଉ କାଳେ ମୋର ପାଇବାର

ନଥିଲା କାହାଠୁ,

ଯେହେତୁ ମୁଁ ଚିରକାଳ

ଖୋଜି ହେଉଥିଲି ।

କିଛି ନୁହଁ, ମୋର କିଛି ନୁହଁ,

ଦିନରାତି, ଗଛପତ୍ର,

ନଈଘାଟ, ତାରାମାନଙ୍କରମେଳ,

ପାଣିରେ ଦିଶୁଥିବା ଛାଇ ପୁଣି,

ଚଢ଼େଇଙ୍କ ସ୍ୱରେ ଆସୁଥିବା

ଭୋରର ସୁରୁଜ ।

ଆଲୁଅ ମୋର କେବେ

ଲୋଡ଼ା ହିଁ ନଥିଲା

ଅନ୍ଧାରରେ

ସବୁଦିନ ମୋର ଆତଯାତ ।

ମୋର ଦାବୀ ନଥିଲା କିଛି

ଜୀବନ ପାଖରେ

ନିଃସ୍ୱ ହେଇ ବଞ୍ଚୁଛି ମୁଁ

ମରିବି ସେମିତି ।

ମୋର ନାହିଁ କିଛି,

କେବେ ବି ନଥିଲା

କେବେ ରହିବନି ବୋଲି ମୁଁ

ଏକା ଜାଣେ

ସମୟ ଦେଇଛି ଯାହା ନେଇଯିବ

ଗୋଟି ଗୋଟି କରି

ଖାଲିହାତେ ଆସିଛି ମୁଁ

ଫେରିଯିବି ଖାଲି ହାତେ ।

Image

 

ପାଚେରୀ

 

ପାଚେରୀ ନ ଥିବାବେଳେ

ସବୁ ଭଲ ଥିଲା,

ଏ ଘରୁ ସେ ଘରଯାଏ

ବାସୁଥିଲା ହସର ମହକ,

ସେ ଘରୁ ଏ ଘର ଯାଏ

ଭାସୁଥିଲା ଲୁହର ବନ୍ୟା ।

 

କୁନିପିଲାଙ୍କର ସଢ଼େଇ ଖେଳରେ

ସକାଳ ଆସୁଥିଲା ତ,

ଯୁବକଙ୍କ ବ୍ୟସ୍ତତା ଭିତରେ

ଖରାବେଳ,

ବୟସ୍କଙ୍କ ବୁଝାମଣାରେ

ରାତି ।

 

ଦିନେ ପାଚେରୀ

ଠିଆ ହେଲା,

କିଛି ଅଭିମାନ, ଅବସାଦ,

ଛୋଟ ଛୋଟ ଦ୍ୱନ୍ଦ୍ୱଙ୍କୁନେଇ ।

 

ପାଚେରୀଠୁ ଫେରିଗଲା

ସବୁ,

ସେପଟର ଦୁଃଖ ସେପଟକୁ,

ଏପଟର ସୁଖ ଏପଟକୁ,

ଝୁରି ହେଲେ ପିଲାମାନେ

ବୃଦ୍ଧମାନେ,

ନିଜ ଜିଦ୍‌ରେ ରହିଗଲେ

ଯୁବକମାନେ ।

 

ସକାଳୁ ଦିନେ ଏମିତି ହେଲା,

ପିଲାମାନେ ତାଙ୍କ ସମୟକୁ

ନେଇ ସଢ଼େଇ ଖେଳିଲେ,

ବୟସ୍କମାନେ ମିଶି ନଈକୂଳଆଡ଼େ

ବୁଲିଗଲେ,

ଯୁବକମାନେ ନୀରବେ ଭାବି ବସିଲାବେଳକୁ,

ବୃଦ୍ଧମାନେ ସଞ୍ଜବୁଲାରେ ଯାଇସାରିଥିଲେ ।

 

ସଭିଏଁ କହୁଥିଲେ ଭଲହେଲା,

ପାଚେରୀ ଭାଙ୍ଗିଗଲା,

ଅଥଚ ପାଖଲୋକ ଦେଖି ନଥିଲେ

କୋଉଠି ପାଚେରୀ କେବେ

ଗଢ଼ା ହୋଇଥିଲା ।

Image

 

ଚୁଲିମୁଣ୍ଡ

 

ମା’ର ଅତୀତ ଯୋଉଠି ପଡ଼ିଅଛି,

ବର୍ତ୍ତମାନ ସଞ୍ଚିତ ବୋଉର ଯୋଉଠି

ଯୋଉଠୁ ମୋ ଭବିଷ୍ୟ ଆରମ୍ଭ ହୋଇବ,

ସେଇ ଚୁଲିମୁଣ୍ଡ,

ମାଟି ଚୁଲିମୁଣ୍ଡ ।

 

କେତେ କେତେ ଢୁଳେଇଥିବା ରାତି

ଥିବେ, କେତେ ଅପେକ୍ଷାରତ

ଦ୍ୱିପ୍ରହର, କେବେ ପୁଣି ଉଜାଗରେ

ରହିଥିବ ଆଖି,

ଯଦି ସେ ରାତିରେ କେହି

ଫେରିବାର ଥିବ ।

 

ଚୁଲିମୁଣ୍ଡେ କାରବାର

ଜୀବନଯାକର,

ଯେତକ ଲୁହ ଗଡ଼ୁଥିବ

ଶୋଷୁଥିବ ମାଟି, ଉଠୁଥିବା

କୋହ ପୁଣି ଭାଗ୍ୟକୁ ନିନ୍ଦିବା,

 

ରାନ୍ଧିବାବେଳେ ପରିପୂର୍ଣ୍ଣ ଥିବ ଯାହା,

ଖାଇଲାବେଳେ ପୋଛିପାଛିକି

ଖାଇବା,

ସବୁ ମନେରଖିଥିବ ଏଇ ଚୁଲିମୁଣ୍ଡ ।

 

ଏଇଠି କେତେଥର ମରିବାକୁ ଚାହିଁଥିବ

ମା’, କେତେଥର କୁହୁଳି କୁହୁଳି

ଜଳିପାରି ନଥିବ ବୋଉ,

ମୁଁ ବସିପଡ଼ିଲେ ଲାଗେ,

ମୋ ପାଇଁ କିଛିଗୋଟେ ବିଶେଷ

କଷ୍ଟଅଛି, ସହିବାକୁ ପଡ଼ିବ

ମତେ କେବେ ବି ତ ଦିନେ ।

 

ଏ ଚୁଲି ତ ଗଢ଼ିଛି ବିଧାତା,

ନାରୀର ବୟସକୁ ଜାଳିବା ପାଇଁକି,

ସମୟକୁ କାଠକରି ପାଖରେ

ଥୋଇଛି,

ସୁଖମାନଙ୍କୁ ରାନ୍ଧି ସୁଆଦିଆକରି

ପରଷୁଛି, ହେଲେ ନିଜ ଭାଗକୁ

ଦେଖିଲେ,

ନୀରବେ ଯାହା ଖାଲି

ବାହୁନି ମରୁଛି ।

Image

 

ଥାଉ, ଆଉ ଗାଆନି କୋଇଲି

 

ଥାଉ,

ଆଉ ଗାଆନି କୋଇଲି,

ବସନ୍ତ ଚାଲିଗଲା ପରେ,

ବଉଳ ଝଡ଼ିଗଲା ପରେ

ତୁହି ତ ଖୁବ୍‌ ବେଶି ମନେପଡ଼ିବୁ ।

 

କାହିଁ ଏତେ ବୋଳୁଛୁ ଲୋ,

ଆତ୍ମୀୟତାର ରଂଗ,

ଏ ସହରେ ତ ସବୁବେଳେ

ଅଭାବ ଯାହାର ।

 

କିଏ ଜାଣେ ଲୋ କୋଇଲି,

ଏ ବସନ୍ତେ କିଏ ଦେଲା,

କିଏ ନେଇଗଲା,

ଯୋଉଠି ଦେଖିଲି ସୁନ୍ଦର

ଆଖିମାନଙ୍କୁ, ସବୁଠି କାହାକୁ

କିଏ ଖୋଜିହେଉଥିଲା ।

 

କୋଇଲି ଲୋ,

ସତେ କି ଅଭାବ ଏଠି

ମଣିଷର ବସନ୍ତର ନା

ଆମ୍ବ ବଉଳର,

ଅଭାବ ଯା ପରକୁ ନିଜର

ପରି ଭଲପାଇବାର ।

 

ସବୁ ଯାହା ଭାଗ୍ୟଲୋ

କୋଇଲି,

ତୋ ଭାଗ୍ୟ ଦେଖ,

ତୋପାଇଁ ଆଉ ଏକ ବସନ୍ତ

ଲୋଡ଼ା

ମୋ ଭାଗ୍ୟ ଦେଖ

ମୁଁ ବନ୍ଦୀ ଆଶଙ୍କାର

ଲୁହା-କାରାଗାରେ ।

 

ତୁ ଖୋଜୁ ଆଉଗୋଟେ ବସନ୍ତ

ସ୍ୱରକୁ ମାଜିବାକୁ,

ମୁଁ ଖୋଜେ ଆଉଟିକେ ସମୟ

ନିଜକୁ ବୁଝେଇବାକୁ,

କୋଇଲି ଲୋ,

କାହାକୁ ବୋଧେ ମିଳିପାରିଲାନି

ମନଲାଖି ସମୟଟିକିଏ,

ଯେବେ ବି ଆସିଲା

ହାତରୁ ଖସିଯିବା ପରି ।

 

ତୁ ତ ଫେରିଯିବୁ ବସନ୍ତ

ସରିଗଲା ପରେ ।

ମୋ ଫେରିବା ମିଶିଯାଇଛି

ସମୟ ଭିତରେ

କିଏ ଜାଣେ ଲୋ କୋଇଲି,

ଆର ବସନ୍ତକୁ

‘ତୁ’ ତୋ ପରି ଥିବୁ କି ନଥିବୁ,

ମୁଁ ପୁଣି ମୋ ପରି

ଦିଶୁଥିବି କିବା ନାହିଁ,

ତୋ ପରେ ଆଉ ଗୋଟେ

କୋଇଲି ଗାଉଥିବ

ବିଶ୍ୱାସର ଭଙ୍ଗାଡ଼ାଳେ ବସି

ମୋ ପରି ଆଉ ଏକ

ଦରଦୀ ମଣିଷ ଶୁଣୁଥିବ,

ନୂତନ ସଂଗୀତ

ସମୟର, କୋଇଲିର

ଅନୁରାଗର

ଆମ୍ବବନେ ବସି ।

Image

 

ତୁମ ପାଇଁ ମଧୁବନେ ନିଆଁ

 

ପତନ ସମୟ ଇଏ,

ନିଆଁ ପାଣି ଖୋଜୁଛନ୍ତି

ମଣିଷ ଠିକଣା,

କ୍ଷଣକରେ ଧ୍ୱଂସମୟ କରିଦେବେ

ସବୁଜ ଭୂଖଣ୍ଡ

ମେଘକୁ ପଠାଇଦେବେ ଅଜ୍ଞାତସବୁ ।

 

ତୁମ ପାଇଁ କେବଳ ତୁମ ପାଇଁ,

ପ୍ରିୟତମ ପାପୀମାନେ,

ମଧୁବନେ ଆଜି ନିଆଁ

ମଣିଷର ଏ କୁତ୍ସିତ ବେଶ,

ଶୂନ୍ୟଦେହେ ପିନ୍ଧିଛନ୍ତି ଏ

ଯେଉଁ ପାଉଁଶ ପୋଷାକ

ତୁମ ଅତିରିକ୍ତ ଲୋଭ ପୁଣି,

ଅତ୍ୟଧିକ ପାପରେ ତିଆରି ।

 

ତୁମେ କି ସତରେ ଜାଣୁନ,

ତୁମ ପାପମାନେ ଶୋଷିନେଲେ,

ମାଟିରୁ ଉର୍ବରପଣ,

ଲୋଭମାନେ ବୁଲୁଛନ୍ତି ଏ ଦିଗୁ

ସେ ଦିଗ,

ନିଃଶ୍ୱାସେ ପ୍ରଶ୍ୱାସେ ଲୁଚି

ଭିତରେ ବାହାରେ ଦେଖ,

ଧୂଆଁମୟ କରିଦେଲେ,

ଚେତନାରେ ଗଢ଼ୁଥିବା

ପରିପୂର୍ଣ୍ଣ ନିର୍ମଳ ଜଗତ ।

 

ତୁମେ ବୁଝୁନ କି ସତେ,

ଏ ଦୂଷିତ ଜୀବନ

ଏ ଦୁଃସହ ସମୟ,

ତୁମର ଯେତକ ଲୁଚାଚୋରା

ପାପକର୍ମ ଫଳ,

ତୁମ ସାଥେ ଭୋଗୁଛନ୍ତି

ନଈମାନେ, ୠତୁମାନେ,

ସପ୍ତବର୍ଣ୍ଣୀ ପକ୍ଷୀମାନେ,

କଅଁଳ ଶିଶୁମାନେ,

ନିରୀହ ଯୁବକମାନେ,

ନିଜକୁ ପ୍ରାର୍ଥନାରେ ସମର୍ପିତ

କରୁଥିବା,

ବୟସ୍କ ଓ ବୃଦ୍ଧମାନେ ।

Image

 

ସେ ରାତି

 

ଏବେ ବି ଗୋଟିଏ ରାତି

ଜଳୁଛି ମୋ ଭିତରେ

ଏବେ ବି ଉତ୍ତାପ ବଢ଼େ

ସମୟ ବଢ଼ିଲେ

ଏବେ ବି ପରିଚିତ କିଛି

ଲୋକଙ୍କୁ ଦେଖ ତ

ବାରବାର ମନେପକାନ୍ତି ମତେ,

ସେ କଥା ପଡ଼ିଲେ ।

କେତେ ଯତ୍ନ କଲି ଭୁଲିବାକୁ

ଘଟଣାମାନଙ୍କୁ,

ନିତି ଚାହିଁଲି ସେଥିରୁ ବାହାରି

ଆସିବି,

ପୁରୁଣା ସମୟକୁ ଦେଇଦେବି

ସବୁ ପୋଛି ପାଛି,

ମନକୁ ନେଇଯିବି ନିଛାଟିଆ

ପ୍ରହର ଆଡ଼କୁ,

ସେ ରାତିଠୁ ଭିନ୍ନ ଏକ ରାତି

ଖୋଜିବାକୁ ।

ହେଉଛି କେଉଁଠି ତାହା

ଯାହା ମୁଁ ଚାହୁଁଛି,

ଅଜାଣତେ ସେ ରାତିଆଡ଼େ

ପାଦ ମୋର କେମିତି ବଢ଼ୁଛି ।

ମୁଁ ଚାଲୁଛି ସିନା ଏବେ

ଆଗରୁ ଆଗକୁ,

ଦେଖୁଛି ଅନେକ ଦୃଶ୍ୟ

କହୁଛି ବି ନୂଆ କଥା ଅନେକ ଲୋକଙ୍କୁ,

ଏକା ମୁଁ ଜାଣିଛି

ମୁଁ କେମିତି ନିତି ସଞ୍ଜେ ଫେରିଯାଏ

ସେ ରାତି ପାଖକୁ ।

ଏବେ ବି ନିଃଶବ୍ଦରେ କିଏ ଜଣେ

ଚାଲୁଥାଏ

ସେ ରାତିରେ ମୋ’ରି ଆଡ଼କୁ,

କାହା ପାଦଶବ୍ଦ ବାରିହୁଏ,

ଗାଢ଼ତମ ଅନ୍ଧାର ଭିତରେ,

ସମୟ ରଖିଛି ସାଇତି

ସେ ରାତିକୁ ସେମିତି,

ଯେତକ ପ୍ରୟାସ ମୋର

ବିଫଳରେ ଯାଏ,

ଜଳୁଥିବା ରାତି ପୁଣି କାଲି

ବି ଜଳିବ,

ଯାହାକୁ ଲିଭାଇବାର କଥା

ମୁଁ ଦେଇଛି ଆଜିକୁ ।

Image